ବିପଦରେ ଓଡିଶା

ଭୁବନେଶ୍ୱର : ବାୟୁ ପ୍ରଦୂଷଣର ଅନେକ କାରକ ମଧ୍ୟରୁ ପ୍ରମୁଖ ଓ ଅତ୍ୟଧିକ ହାନିକାରକ ହେଉଛି ପାର୍ଟିକୁଲେଟ ମ୍ୟାଟର ବା କଣିକା ତତ୍ତ୍ୱ। କଣିକା ତତ୍ତ୍ୱ ହେଉଛି ଧୂଳି ଧୂଆଁ ଆଦି ଅନେକ ଅନେକ ସୂକ୍ଷ୍ମାତିସୁକ୍ଷ୍ମ କଣିକାର ସମାହାର। ଏହା ଉଭୟ କଠିନ ଓ ତରଳ ପଦାର୍ଥର ସମାହାର। ସାରା ବିଶ୍ୱରେ କେବଳ କଣିକା ତତ୍ତ୍ୱ ପ୍ରଦୂଷଣ ଦ୍ୱାରା ପ୍ରତିବର୍ଷ ପାଖାପାଖି ପଚାଶ ଲକ୍ଷ ଲୋକ ମୃତ୍ୟୁବରଣ କରିଥାନ୍ତି।

ଓଡ଼ିଶାର ଛଅ ଗୋଟି ସହରର ବାୟୁରେ ଏବେ କଣିକା ତତ୍ତ୍ୱର ଉପସ୍ଥିତି ଏବେ ଉଦବେଗଜନକ ସ୍ଥିତିରେ ପହଂଚିଛି। ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ ଏହି ସହର ଗୁଡିକ ହେଲା, ଭୁବନେଶ୍ୱର, କଟକ, ବାଲେଶ୍ୱର, ଅନୁଗୁଳ, ତାଳଚେର ଓ ରାଉରକେଲା। ଜାତୀୟ ସବୁଜ ପ୍ରାଧିକରଣର ତଥ୍ୟ ଅନୁସାରେ ଓଡ଼ିଶାରେ ବାୟୁ ମଣ୍ଡଳରେ କଣିକାତତ୍ତ୍ୱ ବୃଦ୍ଧି ପାଇବାର ପ୍ରମୁଖ କାରଣ ହେଉଛି ଶିଳ୍ପାନୁଷ୍ଠାନମାନଙ୍କରୁ ନିର୍ଗତ ଧୂଳି ଧୂଆଁ, ଯାନବାହାନ ଜନିତ ପ୍ରଦୂଷଣ ଏବଂ ନିର୍ମାଣ କିମ୍ବା ଭଙ୍ଗାରୁଜା ସମୟରେ ସୃଷ୍ଟି ହେଉଥିବା ଧୂଳି।

ଶିଳ୍ପାନୁଷ୍ଠାନମାନଙ୍କ ପ୍ରଦୂଷଣ ତଥ୍ୟର ସାର୍ଵଜନୀକରଣ କରାଇ ସେମାନଙ୍କ ପରିବେଶ ପାରଦର୍ଶିତା କରାଇବା ପାଇଁ ଓଡିଶା ସରକାରଙ୍କ ତରଫରୁ ୨୦୧୮ ମସିହା ସେପ୍ଟେମ୍ବର ମାସରେ ଓଡିଶା ଷ୍ଟାର ରେଟିଙ୍ଗ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା| ଓଡ଼ିଶାର ପ୍ରମୁଖ ଶିଳ୍ପାନୁଷ୍ଠାନମାନଙ୍କରୁ ନିର୍ଗତ ହେଉଥିବା ପ୍ରଦୁଷକ ଗୁଡିକର ମାତ୍ରା ନିରନ୍ତର ଭାବେ ଅନୁଧ୍ୟାନ କରି ଏହି କାର୍ଯ୍ୟକ୍ରମ ସେମାନଙ୍କୁ ୧ ରୁ ୫ ପର୍ଯ୍ୟନ୍ତ ଷ୍ଟାର ପ୍ରଦାନ କରିଥାଏ| ସବୁଠାରୁ ଅଧିକ ପ୍ରଦୁଷକ ନିର୍ଗମନ କରୁଥିବା ଶିଳ୍ପସଂସ୍ଥାକୁ ୧ ଷ୍ଟାର ଓ ସବୁଠାରୁ କମ ନିର୍ଗମନ କରୁଥିବା ସଂସ୍ଥାକୁ ୫ ଷ୍ଟାର ମିଳିଥାଏ|

ଏହି ଷ୍ଟାର ରେଟିଂ ପ୍ରୋଗ୍ରାମ ୧୭ ଶ୍ରେଣୀୟ ଅତି ପ୍ରଦୂଷଣକାରୀ ଶିଳ୍ପସଂସ୍ଥାର ପାଖାପାଖି ୧୫୦ଟି ବୃହତ ଶିଳ୍ପସଂସ୍ଥା ଉପରେ ନଜର କେନ୍ଦ୍ରୀଭୂତ କରି ଏହାର ପରିଵେଶୀୟ ପ୍ରଭାବର ବିବରଣୀକୁ ସାଧାରଣରେ ପରିବେଷଣ କରିବା ଉପରେ ଲକ୍ଷ୍ୟ ରଖିଛନ୍ତି | ନଜରରେ ଥିବା ଶିଳ୍ପାନୁଷ୍ଠାନ ଗୁଡିକରେ Continuous Emissions Monitoring Systems (ନିରନ୍ତର ନିର୍ଗମନ ଯାଞ୍ଚ ବ୍ୟବସ୍ଥା) ସ୍ଥାପିତ କରାଯାଇଛି ଓ ଏହାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସର୍ଭର ସହିତ ସଂଯୁକ୍ତ କରାଯାଇଛି | ନିରନ୍ତର ନିର୍ଗମନ ଯାଞ୍ଚ ବ୍ୟବସ୍ଥା, ନିରନ୍ତର ଭାବେ ଶିଳ୍ପାନୁଷ୍ଠାନର ତଥ୍ୟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସର୍ଭରକୁ ପଠାଇଥାଏ |

ଷ୍ଟାର ରେଟିଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଶିଳ୍ପାନୁଷ୍ଠାନ ନିର୍ଗମନ ସମ୍ପର୍କିତ ଉପଲବ୍ଧ ତଥ୍ୟ ମାତ୍ର ଚଉଦ ପ୍ରତିଶତ ଥିଲା| ଦଶ ମାସ ଭିତରେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ୧୦୬ଟି ଶିଳ୍ପାନୁଷ୍ଠାନ ପାଇଁ ଏହି ତଥ୍ୟ ୮୫ ପ୍ରତିଶତରେ ପହଂଚିଛି| ବର୍ତ୍ତମାନ ଏହି କାର୍ଯ୍ୟକ୍ରମ କେବେଳ PM ବା କଣିକା ତତ୍ତ୍ୱ ନିର୍ଗମନକୁ ହିସାବକୁ ନେଇଛି ଓ ପରବର୍ତ୍ତୀ ସମୟରେ ଅନ୍ୟ ପ୍ରଦୁଷକ ମାନଙ୍କୁ ହିସାବକୁ ନେବାର ଯୋଜନା ରହିଛି| ବର୍ତ୍ତମାନ ସିମେଣ୍ଟ, ତାପଜ ବିଦ୍ୟୁତ କେନ୍ଦ୍ର, ଇସ୍ପାତ, କାଗଜ଼ କଳ, ସ୍ପଞ୍ଜ ଆଇରନ, ସାର କାରଖାନା ଓ ଆଲୁମିନିୟମ ଏବଂ ସ୍ମେଲଟର ଶିଳ୍ପାନୁଷ୍ଠାନମାନଙ୍କୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି| ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚିହ୍ନଟ କରିଥିବା ସତର ପ୍ରକାରର ଅତ୍ୟଧିକ ପ୍ରଦୂଷଣ ପ୍ରବଣ ଶିଳ୍ପାନୁଷ୍ଠାନ ମଧ୍ୟରେ ଏହି ଶିଳ୍ପାନୁଷ୍ଠାନ ଗୁଡିକ ଅନ୍ତର୍ଭୁକ୍ତ|